News

୬ ବର୍ଷ ପ୍ରତୀକ୍ଷାର ଅନ୍ତ ହେବ! ଏପ୍ରିଲ୍ ୧୦ରେ ସମ୍ବଲପୁର ଫ୍ଲାଇଓଭର୍‌ରେ ଗାଡ଼ି ଗଡ଼ିବ

ଲମ୍ବା ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି। ‌ଆସନ୍ତା ଏପ୍ରିଲ୍ ମାସରେ ବହୁ ପ୍ରତୀକ୍ଷିତ ସମ୍ବଲପୁର ଫ୍ଲାଇଓଭର୍‌ରେ ଗାଡ଼ି ଗଡ଼ିବ। ଏପ୍ରିଲ୍ ୧୦ ତାରିଖ ଶ୍ରୀରାମ ନବମୀ ଅବସରରେ ନିର୍ମାଣକାରୀ ସଂସ୍ଥା ପୂର୍ତ୍ତ ବିଭାଗକୁ ଫ୍ଲାଇଓଭର୍‌ ହସ୍ତାନ୍ତର କରିବ ବୋଲି ଜଣା ପଡ଼ିଛି। ଏହାପରେ ସେହି ଏପ୍ରିଲ୍‌ରେ ହିଁ ଜିଲ୍ଲା ପ୍ରଶାସନ ଫ୍ଲାଇଓଭର୍‌କୁ ଜନସାଧାରଣଙ୍କ ପାଇଁ ଖୋଲି ଦେବ ବୋଲି ସୂଚନା ମିଳିଛି। ୨୦୧୬ ଏପ୍ରିଲ୍ ମାସରେ ଫ୍ଲାଇଓଭର୍ ନିର୍ମାଣ ଆରମ୍ଭ ହୋଇଥିଲା। ଠିକ୍ ୬ ବର୍ଷ ପରେ ୨୦୨୨ ଏପ୍ରିଲ୍ ମାସରେ ଏହା କାର୍ଯ୍ୟକାରୀ ହେବାକୁ ଯାଉଛି। ତେବେ ବର୍ତ୍ତମାନ ‌କେବଳ ମୁଖ୍ୟ ଫ୍ଲାଇଓଭର୍‌ଟି ଖୋଲିବ। ଏହାର ଉଭୟ ପାର୍ଶ୍ବ ସର୍ଭିସ୍ ରାସ୍ତା, ପିଲର୍‌ ମଧ୍ୟବର୍ତ୍ତୀ ଡିଭାଇଡର୍‌ ଆଦି କାମ ସଂପୂର୍ଣ୍ଣ ହେବାକୁ ଆଉ କେତେ ସମୟ ଲାଗିବ, ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ। ଅପରପକ୍ଷରେ ଫ୍ଲାଇଓଭର୍‌କୁ ନେଇ ନିର୍ମାଣକାରୀ ସଂସ୍ଥା ଓ ସରକାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ନିଜର ଆହୁରି ୫୦ କୋଟିରୁ ଅଧିକ ଟଙ୍କାର ପାଉଣା ବାକି ଥିବା ନେଇ ଠିକା ସଂସ୍ଥା ଦାବି କରୁଥିବାବେଳେ ବିଭାଗ ଏହାକୁ ଅସ୍ବୀକାର କରି ଆସୁଛି। ପରିବର୍ଦ୍ଧିତ କାର୍ଯ୍ୟ ବାବଦ ଅର୍ଥ ସରକାରଙ୍କ ମଞ୍ଜୁରି ମିଳିଲା ପରେ ଯାଇ ଦିଆଯିବ ବୋଲି ବିଭାଗ କହୁଛି। ଏନେଇ ଠିକା ସଂସ୍ଥା ପଣ୍ଡା ଇନ୍‌ଫ୍ରା ପକ୍ଷରୁ ସ୍ଥାନୀୟ ବାଣିଜ୍ୟିକ କୋର୍ଟରେ ମାମଲା ଦାଏର ହୋଇଥିବା ସୂଚନା ମିଳିଛି। ଫ୍ଲାଇଓଭର୍‌ ଖୋଲିବାରେ ଉତ୍ତରାଞ୍ଚଳ ରାଜସ୍ବ ଆ‌ୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳେଇଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେ ଏଥିରେ ହସ୍ତ‌େ‌କ୍ଷପ କରି କାମ ଶୀଘ୍ର ଶେଷ କରିବାକୁ ଉଭୟ ପୂର୍ତ୍ତ ବିଭାଗ ଓ ଠିକା ସଂସ୍ଥାକୁ ତାଗିଦ କରି ଆସିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଫ୍ଲାଇଓଭର୍ ନିର୍ମାଣ ହେବା ଦିନଠୁ ବିବାଦରେ ରହି ଆସିଛି। ଏହାର ବିଶେଷ ଆବଶ୍ୟକତା ନଥିବା ଦର୍ଶାଇ ସମ୍ବଲପୁର ସହରର ଅନେକ ଲୋକ ନିର୍ମାଣ ପୂର୍ବରୁ ହିଁ ଏହାକୁ ବିରୋଧ କରୁଥିଲେ। କାମ ଆରମ୍ଭ ହେବା ପରେ ବି ରାସ୍ତା ସୁଗମ ନଥିଲା। ଭୁବନେଶ୍ବରରେ ହୋଇଥିବା ଦୁର୍ଘଟଣାର ପ୍ରଭାବ ସମ୍ବଲପୁରରେ ପଡ଼ିଥିଲା। ଯଦ୍ବାରା ଏହି କାମ ବହୁଦିନ ଧରି ବନ୍ଦ ହୋଇ ଯାଇଥିଲା। କିନ୍ତୁ ଅଧାପନ୍ତରିଆ କାମ ନେବାକୁ ଅନ୍ୟ କୌଣସି ଠିକାଦାର ନ ମିଳିବାରୁ ସରକାର କଳା ତାଲିକାଭୁକ୍ତ କରିବା ସତ୍ତ୍ବେ ପଣ୍ଡା ଇନ୍‌ଫ୍ରା ହିଁ କାମ କରିଥିଲା। ତେବେ ବିଭିନ୍ନ ସମୟରେ ସରକାରୀ ଅଧିକାରୀ ଓ ଠିକା ସଂସ୍ଥା ମଧ୍ୟରେ ବିଭିନ୍ନ ପ୍ରସଂଗକୁ ନେଇ ଟଣା ଓଟରା ଲାଗି ରହିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣରେ ଅହେତୁକ ବିଳମ୍ବ ଯୋଗୁଁ ଧୁଚୁରାପଡ଼ା ପାର୍ଶ୍ବରେ ବହୁ ମାସ ଧରି କାମ ଅଟକି ରହିଥିଲା। ଏପରିକି ଫ୍ଲାଇଓଭର୍‌ର ସ୍ଲୋପିଂକୁ ଛୋଟ କରି କାମ ସାରି ଦେବାକୁ ପ୍ରୟାସ କରା ଯାଇଥିଲା। ତେବେ ଏ ସଂପର୍କରେ ‘ସମ୍ବାଦ’ରେ ବାରମ୍ବାର ଖବର ପ୍ରକାଶ ପରେ ଏହି ଯୋଜନା ପଣ୍ଡ ହୋଇଥିଲା। ଧୁଚୁରାପଡ଼ା ଛକରେ ଥିବା ୨ଟି ଘର ଅଧିଗ୍ରହଣ କରାଯାଇ ତଥା ଡିଆଇଜିଙ୍କ କାର୍ଯ୍ୟାଳୟ ପାଚେରି ପଛକୁ ଘୁଞ୍ଚାଇ ଫ୍ଲାଇଓଭର୍ ସ୍ଲୋପ୍‌ ଓ ସର୍ଭିସ୍‌ ରାସ୍ତା ପାଇଁ ଜାଗା ବାହାର କରା ଯାଇଥିଲା।

ତେବେ ବର୍ତ୍ତମାନ ବି ଆଶାପାଲି ସ୍କୁଲ୍ ପାର୍ଶ୍ବରେ ତଥା ନୟାପଡ଼ା ଅଞ୍ଚଳରେ ସର୍ଭିସ୍ ରାସ୍ତା ପାଇଁ ଜମି ଅଧିଗ୍ରହଣ ଓ ଜବରଦଖଲ ଉଚ୍ଛେଦ ‌ହୋଇପାରି ନାହିଁ। ତେଣୁ ଫ୍ଲାଇଓଭର୍‌ ଉଭୟ ପାର୍ଶ୍ବରେ ସାଢ଼େ ୫ ମିଟର୍ ଚଉଡ଼ା ସର୍ଭିସ୍‌ ରାସ୍ତାକୁ ନେଇ ଅନିଶ୍ଚିତତା ଲାଗି ରହିଛି। ମୂଳ ଫ୍ଲାଇଓଭର୍‌ର ୯୦ ଭାଗ କାମ ବର୍ଷେ ପୂର୍ବରୁ ଶେଷ ହୋଇ ଯାଇଥିବାବେଳେ କେବଳ ଧୁଚୁରାପଡ଼ା ପାର୍ଶ୍ବ ସ୍ଲୋପିଂ ପାଇଁ କାମ ଅଟକି ରହିଥିଲା। ଏବେ ସେହି କାମ ଚାଲିଛି। ମାର୍ଚ୍ଚ ମାସ ସୁଦ୍ଧା ଉକ୍ତ ସ୍ଲୋପିଂର ପିଚୁ କାମ ଶେଷ ହୋଇ ଫ୍ଲାଇଓଭର୍ ଉଦ୍‌ଘାଟନ ପାଇଁ ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି।

Click to comment

Leave a Reply

Your email address will not be published.

Most Popular

To Top