ବ୍ରଜରାଜନଗରରେ ମଙ୍ଗଳବାର ରାତି ସାଢ଼େ ୮ଟାରେ ପୁଣି ଥରେ ଗୁଳି ଫୁଟିଛି। ଏଥିରେ ମଣ୍ଟୁ ଘୋଷ(୩୦) ନାମରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ବ୍ରଜରାଜନଗର ମୁଖ୍ୟ ବଜାରରେ ଥିବା ଏକ ଜଳଖିଆ ଦୋକାନ ଲକ୍ଷ୍ମୀ କ୍ୟାବରେ ଏହି ଗୁଳିକାଣ୍ଡ ଘଟିଛି।
ଜଳଖିଆ ଦୋକାନର କାଉଣ୍ଟରରେ ଛିଡ଼ା ହୋଇଥିବା ବେଳେ ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି। ଦୁଇ ରାଉଣ୍ଡ ଗୁଳି ଚାଳନା ହୋଇଥିବା ଲୋକେ କହୁଥିବା ବେଳେ ଘଟଣାସ୍ଥଳରେ ଗୋଟିଏ ଖୋକା ପଡ଼ିଥିବା ଦେଖା ଯାଇଛି। ମଣ୍ଟୁର ମୁଣ୍ଡରେ ଗୁଳି ବାଜିବା ପରେ ସେ ତଳେ ପଡ଼ି ଯାଇଥିଲା। ଦୁଇ ଜଣ ଯୁବକ ଏକ ବାଇକରେ ଆସି ଗୁଳି ମାରି ଫେରାର ହୋଇ ଯାଇଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି। ଗୁଳିକାଣ୍ଡ ସମୟରେ ହୋଟେଲ ମାଲିକ ହୋଟେଲ ଭିତରକୁ ଯାଇଥିଲେ।
ଗୁଳିକାଣ୍ଡରେ ମୃତ ମଣ୍ଟୁ ହେଉଛି ବହୁ ଚର୍ଚ୍ଚିତ ଅମିତ ଧଳ ହତ୍ୟାକାଣ୍ଡରେ ସଂପୃକ୍ତ ସୋନୁ ଘୋଷର ଭାଇ। ସୋନୁ ଘୋଷ ଏବେ ଜେଲରେ ଅଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହୋଟେଲରେ ଲାଗିଥିବା ସିସି ଟିଭିକୁ ପୁଲିସ ଜବତ କରି ତଦନ୍ତ କରୁଥିବା ବେଳେ ଏହି ହତ୍ୟାକାଣ୍ଡ ସହିତ ମାଫିଆଙ୍କ ସଂପୃକ୍ତି ଥିବା କୁହାଯାଉଛି।

 
						 
													 
						 
													 
						 
													 
						 
													 
						